ଗଜାନନ ଓ ଯୁଦ୍ଧ Poem by Susanta Pattnayak

ଗଜାନନ ଓ ଯୁଦ୍ଧ

ସକାଳ ପାହିବା ପୂର୍ବରୁ ଉଠିଯାଏ ଗଜାନନ,
ଆକାଶ ତଥାପି ଅନ୍ଧକାରରେ ଡୁବି ରହିଥାଏ।
କଳ ତଳେ ଘସି ମାଜି ଡେକଚି-କଡ଼େଇ ଧୁଏ,
ଆରମ୍ଭ କରେ ଜୀବନର ଆଉ ଏକ ଦିନ।

ଯୁଦ୍ଧ ବା କ'ଣ ସେ କି ଜାଣେ?
ଦୂର ସୀମାନ୍ତର ଗୁଳି-ଗୋଳାର ଶବ୍ଦ ତା' କାନରେ ପହଞ୍ଚେନି।
ସେ ଜାଣେ କେବଳ ଚାଉଳ-ଡାଲିର ମୂଲ୍ୟ,
ଖାଲି ପେଟର ନିରବ ଦହନର ଅର୍ଥ।

ଘରଣୀ ନରମ ହାତରେ ଡାଲି ଭିଜାଏ,
ସ୍ନେହର ପରଶ ଦେଇ ବିରିକୁ ବାଟେ।
ପ୍ରତ୍ୟେକ ଘୋଳାରେ ଭଲପାଇବା ଭରିଦିଏ,
ପ୍ରତ୍ୟେକ କାମରେ ଜୀବନର ଅତୁଟ ଶ୍ରଦ୍ଧା ଫେଣ୍ଟିଦିଏ।

ଆଳୁ ଫୁଟାଏ ଦାଉଦାଉ ଜଳୁଥିବା ନିଆଁରେ,
ମସଲା ଗନ୍ଧରେ ଭରିଯାଏ ଘର।
ଆଳୁଦମରେ ଲୁଚି ରହିଥାଏ ତା'ର
ଭୟ, ସଙ୍କୋଚ, ଆଶା ଓ ନିରବ ସ୍ୱପ୍ନ।

ଦହି ଝରିଝରି ଯାଏ ମା'ର ମମତା ପରି,
ବରା ଉପରେ ପଡ଼େ ସ୍ୱଚ୍ଛ ସ୍ନେହର ଆବରଣ।
ଚଟଣୀରେ ଖଟା-ମିଠା ରଙ୍ଗ ମିଶିଯାଏ,
ଜୀବନର ସବୁ ସ୍ୱାଦ ଗୋଟିଏ ଜାଗାରେ ଠୁଳ ହୋଇଯାଏ।

ଗଜାନନର ଦହିବରା-ଆଳୁଦମ
କେବଳ ସାହି ପଡ଼ିଶାରୁ ନୁହେଁ—
ଦୂର ଦୂରାନ୍ତରୁ ଲୋକେ ଟାଣି ହୋଇ ଆସନ୍ତି,
ତା' ହାତର କୁହୁକ ପରଖିବାକୁ।

ସନ୍ଧ୍ୟା ଗଡ଼ି ରାତି ହେଲେ ଛୁଆମାନେ
ଛୋଟ ଛୋଟ ହାତରେ ସାହାଯ୍ୟ କରନ୍ତି।
ସେମାନେ ଶିଖନ୍ତି ଜୀବନ-ଜୀବିକାର ପାଠ—
"କାମ ହିଁ ଜୀବନ, ପ୍ରେମ ହିଁ ଦାୟିତ୍ୱ।"

ତଥାପି ଗଜାନନ କ'ଣ ଜାଣେ ଯୁଦ୍ଧ?
ଦେଶକୁ ସେ ଭଲପାଏ ନିରବରେ,
କିନ୍ତୁ କାହିଁକି ଏ ଯୁଦ୍ଧ, କାହିଁକି ଏ ଭୟ—
ସବୁ ତା'ପାଇଁ ଅଜଣା ରହିଯାଏ।

ସାତ ଦିନ ହେଲା ଦୋକାନ ବନ୍ଦ,
ନାହିଁ ଧୂଆଁ, ନାହିଁ ସକାଳର ଭିଡ଼,
ନାହିଁ ହସ, ନାହିଁ ମନରେ ସରାଗ।
ଯୁଦ୍ଧର ହଳାହଳ ମଧ୍ୟରେ ଗଜାନନ ନିସ୍ତବ୍ଦ।

ସଞ୍ଚୟ ଧୀରେ ଧୀରେ ସରି ଆସୁଛି,
ଛୁଆମାନଙ୍କ ଶିକ୍ଷା ପାଇଁ ରଖିଥିବା ଟଙ୍କା
ଏବେ ଡାଲି-ଚାଉଳରେ ଖର୍ଚ୍ଚ ହେଉଛି।
କେତେ ଦିନ ସେ ସମ୍ଭାଳିବ?

ଗ୍ୟାସ ଯାହାରେ ରାନ୍ଧୁଥିଲା ସେଦିନ,
ସେହି ଗ୍ୟାସ ଏବେ ଦୁର୍ଲଭ ବସ୍ତୁ।
କଳାବଜାରରେ ହୁହୁ ଦର,
ପ୍ରତିଦିନ ନୂଆ ଆହ୍ଵାନ।

ଗଜାନନ ଧୀରେ ଧୀରେ ହରାଉଛି ଆଶା,
କେତେଦିନ ଚାଲିବ ଏ ଯୁଦ୍ଧ ଜାଣେନି।
ପରିବାର ଗୋଟିଗୋଟି ଦିନ ଗଣୁଛି—
କେତେଦିନ ଆଉ କେତେଦିନ…

କେତେ ଦିନ ହେଲା ଯୁଦ୍ଧ ଆରମ୍ଭ?
କେତେ ଦିନ ପରେ ହେବ ଶେଷ?
କେତେ ଦିନରେ ଶେଷ ହେବ ଟଙ୍କା,
ଆଉ କେତେ ଦିନ ରହିବ ଗ୍ୟାସ-ପେଟ୍ରୋଲର କ୍ଲେଶ?

ଯୁଦ୍ଧ ତା'ପାଇଁ କ'ଣ ତେବେ?
ହଳାହଳ ନିଆଁ ଯାହା ସବୁ ପୋଡ଼ିଜାଳି
ଛାରଖାର କରିଦିଏ,
ବା ଆଖି ଆଗରେ ସ୍ୱପ୍ନକୁ ଛିନ୍ନଭିନ୍ନ କରିଦିଏ—
ଦୂର ଦେଶରେ ସୃଷ୍ଟ ଝଡ଼,
ଯାହା ଚିହ୍ନ ଛାଡ଼ି ନ ଯାଇ
ଭାଙ୍ଗିଦିଏ ଘର।

ଗଜାନନ ଶାନ୍ତି ପାଇଁ ଦାବି କରେ ନାହିଁ,
ଆନ୍ଦୋଳନ କରେ ନାହିଁ।
ସେ ଅପେକ୍ଷା କରେ ନିରବରେ—
ଖାଲି ଡେକଚି-କଡ଼େଇ ସହ ଜୀବନ
ପୁନଶ୍ଚ ଫେରି ଆସିବା ପର୍ଯ୍ୟନ୍ତ।

ସୁଶାନ୍ତ ପଟ୍ଟନାୟକ

POET'S NOTES ABOUT THE POEM
#OdiaPoem #OdiaPoet
COMMENTS OF THE POEM
READ THIS POEM IN OTHER LANGUAGES
Susanta Pattnayak

Susanta Pattnayak

Bhubaneswar, India
Close
Error Success