ମୋ ଘର ପଛ ବାଡ଼ିରେ,
ଅଛି ଅନେକ ଦାରୁରେ ।।
ସେ ବାଡ଼ି ଅଟେ ପକ୍ଷୀର ଘର,
ଅଟଇ ସେ ତ ସରଗପୁର ।।
ପ୍ରତିଦିନ ଶୁଣେ କିଚିରି-ମିଚିରି,
ସେ ଶବ୍ଦ ଶୁଣି ମନ ଯାଏ ଭରି ।।
କାକ, ବୁଲବୁଲ, ବଣି, ପାରା,
ଉଡୁଥାନ୍ତି ସେଇ ବାଡ଼ି ସାରା ।।
ହମିଙ୍ଗ ବାର୍ଡ, ଟିଆ ଯେତେ,
ତାଙ୍କ ଶବ୍ଦ କରେ ଆକର୍ଷିତ ମୋତେ ।।
ଅନେକ ଅଜଣା ପକ୍ଷୀ ଉଡ଼ିଆସି,
ନାନା ସ୍ୱରେ ରାବନ୍ତି ଡାଳେ ବସି ।।
ଶୁଣି ଏସବୁ ହୁଏ ମୁଁ ଆତ୍ମହରା,
ଭାଡ଼ି ଖୋଜୁଥାଏ ବାଡ଼ିର ପାରା ।।
ପିଲାଦିନେ ଦେଖିଥିଲି ଏକ ଶାଗୁଣା,
ଆଜି ତାହା ସେଠି ହେଇଛି ଊଣା ।।
ଉପରବେଳା ମାଙ୍କଡ଼ ଆସି,
ତେନ୍ତୁଳି ଖାଏ ଡାଳରେ ବସି ।।
କାଖରେ ଥାଏ ମାଙ୍କଡ଼ ଛୁଆ,
ବାଟୁଳି ଦେଖିଲେ ମାରନ୍ତି ଡିଆଁ ।।
ବର୍ଷା ବତାସରେ ନଡ଼ିଆ ବାହୁରେ,
ଝୁଲୁଥାଏ ବାୟା ବସା ଯୋର ବାୟୁରେ ।।
କପୋତ- କପୋତି ସାଙ୍ଗର ମେଳେ,
ଖୁଦ ଖୋଜୁଥିଲେ ଖରାବେଳେ ।।
ମାଆ ଯାଇ ବୁଣି ଦେଲା ଯେ ଖୁଦ,
ଖୁସିରେ ସେମାନେ ମାରିଲେ କୁଦ ।।
ଲାଉଡଙ୍କିଆ ଡାଳରେ ଝୁଲେ,
ଢମଣା ସାପ ମାଟିରେ ବୁଲେ ।।
କେନ୍ଦୁ ଗଛରେ କେନ୍ଦୁ ପାଚିଲେ,
ଭାଇ ସହ ମୋର ଭାଗ ବଣ୍ଟା ଚାଲେ ।।
ତୋଳି ଆଣେ ମାଆ ନିମ୍ବ ଗଛ ଫୁଲ,
ପତୁଆ କରି ଖାଇବ ପଖାଳ ।।
ଡିମିରି ଗଛରେ ଫଳ ଯେ ପାଚେ,
ବାଡ଼ିରେ ପକ୍ଷୀଙ୍କ ମନ ତ ନାଚେ ।।
ଯେବେ ପାଚେ ଗୁଆ କୋଳି ଡାଳରେ,
ତୋଳି ଖାଉ ଆମେ ସାଙ୍ଗ ମେଳରେ ।।
ଅରଖ ଗଛର ସୁନ୍ଦର ଫୁଲ,
ତା ଆଗେ ତୁଚ୍ଛ ସୁନା ରୂପା ମୂଲ ।।
ମାଳତୀ, କନିୟର, ମନ୍ଦାର, ଟଗର,
ଅଟନ୍ତି ସେମାନେ ପ୍ରଜାପତିଙ୍କର ।।
ରଙ୍ଗ ବେରଙ୍ଗର ପ୍ରଜାପତି ଉଡ଼େ,
ଫୁଲର ବାସରେ ଭଅଁର ବାଟ ହୁଡେ ।।
କାହୁଁ ଉଡ଼ିଆସି ସେଠି କାଠହଣା,
ଥୋଣ୍ଟରେ କରାଏ କାଠକୁ ଯେ କଣା ।।
ଖରାରେ ହଳଦୀ ବସନ୍ତ ଛାଇ ଖୋଜି,
ଶିଆଙ୍କ ଡାଳରେ କରୁଥାଏ ଭୋଜି ।।
ଉଚ୍ଚ ଡାଳରୁ କୋଇଲି କୁହୁ କୁହୁ,
ତୁଡୁରା ଡାଳରେ ବସା ବାନ୍ଧିଛି ମହୁ ।।
ପୋଖରୀ ହୁଡ଼ାରେ ଡାଳ ନଇଁ ଆସି,
ସେଥିରେ ମାଛରଙ୍କା ଧ୍ୟାନେଣ ବସି ।।
ଜାପାନୀ କଉ, ଗଡ଼ି, ଚେଙ୍ଗ ପାଇଁ,
ମାଛରଙ୍କା ବସିଛି ସ୍ଥିର ହୋଇ ।।
ସୁବିଧା ଦେଖି ଝାମ୍ପ ମାରିନିଏ,
ତରବରିଆରେ ମୀନ ଗିଳିଦିଏ ।।
ଗୁଣ୍ଡୁଚି ମୂଷାର ଖେଳ ଅନନ୍ୟ,
ଏ ଗଛରୁ ସେ ଗଛକୁ ତା'ର ଧାବନ ।।
ଗଛରେ ପାଚିଲେ ଜାମୁ କୋଳି,
କିଏ ବେଶୀ ନବ ଲାଗିଥାଏ କଳି ।।
ରଜରେ ସେ ବାଡ଼ିରେ ଦୋଳି ବାନ୍ଧି,
ଗାଁ-ଝିଅ ଝୁଲନ୍ତି ନୂଆ ଲୁଗା ପିନ୍ଧି ।।
ଏସବୁ ଦେଖି ମନ ହୁଏ ଖୁସି,
ଖୁସିରେ ମୁଁ ଆଖି ବୁଜେ ଚୌକିରେ ବସି ।।
ସଞ୍ଜବେଳେ ମାଳତୀ ଓ ରାଗିଣୀର ବାସ,
ମନକୁ କରାଏ ସେ ଯେ କ୍ରୀତଦାସ ।।
ସତେକି ସେ ବାସ୍ନା ଅଟଇ ଅମୃତ,
ଜୀବନ ଫେରିବ ହୋଇଥିଲେ ମୃତ ।।
This poem has not been translated into any other language yet.
I would like to translate this poem